ଜଳହସ୍ତୀ

 

 

 

 

 

 

 

 

 

 

ଜଳହସ୍ତୀ

ଶ୍ରୀ ଉଦୟନାଥ ଷଡ଼ଙ୍ଗୀ

 

(୧)

Image

ଜଳହସ୍ତୀକୁ ଇଂରାଜୀରେ ହିପୋ ବ ହିପୋପଟାମସ୍ (Hippopotamus) କୁହାଯାଏ । ଏମାନେ ନଦୀର ମଧୁରପାଣିରେ ରୁହନ୍ତି । ମାତ୍ର ସମୁଦ୍ରରେ ଏକ ପ୍ରକାର ହିଂସ୍ର ଜନ୍ତୁ ଅଛନ୍ତି, ସେମାନଙ୍କର ଇଂରେଜୀ ନାମ ଓ୍ୟାଲରସ୍ (walrus) । ହାତୀଦାନ୍ତ ପରି ସେମାନଙ୍କ ଦାନ୍ତ ଦେଖାଯାଇଥିବାରୁ ସେମାନଙ୍କୁ ସମୁଦ୍ରର ହାତୀ କୁହାଯାଏ । ଜଳହସ୍ତୀ ଓ ସମୁଦ୍ରର ହାତୀ ମଧ୍ୟରେ ବହୁତ ପ୍ରଭେଦ । (ଏହି ସମୁଦ୍ରର ହାତୀ (walrus) ବିଷୟ ‘ସମୁଦ୍ରର ରାକ୍ଷସ’ ପୁସ୍ତକରୁ ଜାଣିପାରିବେ) ।

 

ଆଫ୍ରିକା ମହାଦେଶର ନୀଳନଦୀରେ ଏହି ଜଳହସ୍ତୀ ବହୁ ସଂଖ୍ୟାରେ ଦେଖାଯାନ୍ତି । ଏମାନଙ୍କୁ ଜଳଚର ପ୍ରାଣୀ କୁହାଗଲେ ମଧ୍ୟ ଏମାନେ ମାଛ, କଙ୍କଡ଼ା, ତିମି ପ୍ରଭୁତି ଜଳଜନ୍ତୁଙ୍କ ପରି ସବୁ ସମୟ ପାଣି ଭିତରେ କଟାନ୍ତି ନାହିଁ । ସକାଳୁ ସନ୍ଧ୍ୟା ପଯ୍ୟନ୍ତ ସାଧାରଣତଃ ପାଣି ଭିତରେ ରହନ୍ତି; ରାତି ହେଲେ ଶୁଖିଲାକୁ ଆସି ମାଟି ଉପରେ ବୁଲନ୍ତି ଓ ଖାଦ୍ୟଦ୍ରବ୍ୟ ଅନ୍ୱେଷଣ କରନ୍ତି । ତେଣୁ ଏମାନଙ୍କୁ ଜଳ ଓ ସ୍ଥଳ ଉଭୟଚର ପ୍ରାଣୀ କୁହାଯିବା ସଙ୍ଗତ ।

 

ଜଳହସ୍ତୀ ଦିନଯାକ ପାଣିଭିତରେ ରହିବା ଉଦ୍ଦେଶ୍ୟ, ପାଣିକୁ ଅତି ନିରାପଦ ସ୍ଥାନ ମନେ କରେ । ପାଣିରେ ଯେତେ ଶୀଘ୍ର ସେ ପହଁରିପାରେ, ଶୁଖିଲାରେ ସେତେ ଶୀଘ୍ର ସେ ଦଉଡ଼ି ଯାଇପାରେ ନାହିଁ । କୌଣସି ଶତ୍ରୁ ଆକ୍ରମଣ କରିବାକୁ ଆସିଲା ବୋଲି ଜାଣିପାରିଲେ, ସେ ପାଣିରେ ଅତିବେଗରେ ପହଁରି ଦୂରକୁ ଚାଲିଯାଏ, ନହେଲେ ପାଣି ଭିତରେ ବୁଡ଼ିଯାଇ ନିଜକୁ ନିରାପଦରେ ରଖେ । ଶୁଖିଲାରେ ସେ ଏଭଳି ନିରାପଦରେ ରହିପାରେ ନାହିଁ । କାରଣ, ତାର ଗୋଡ଼ଚାରୋଟି ଦେହ ତୁଳନାରେ ସାନ; ଯୋରରେ ଦଉଡ଼ିବା ତା ପକ୍ଷରେ ସମ୍ଭବ ନୁହେ । ପୁଣି ତାର ପ୍ରକାଣ୍ତ ଶରୀରକୁ ଶତ୍ରୁ ଆଖିରୁ ଲୁଚାଇ ରଖିବାକୁ ସ୍ଥଳଭାଗରେ ସୁବିଧା ନଥାଏ ।

 

ଜୀବ-ବିଜ୍ଞାନୀମାନେ କହନ୍ତି, ଜଳହସ୍ତୀ ଘୁଷୁରୀଜାତୀୟ ପ୍ରାଣୀ । ଏହାର ଆକାର ପ୍ରକାର କେତେକାଂଶରେ ଘୁଷୁରୀର ଆକାରପ୍ରକାର ସହିତ ଖାପ ଖାଏ । ପୁଣି ଘୁଷୁରୀଠାରୁ ଏହାର ପ୍ରଭେଦ ବି ଅନେକ ।

 

ଘୁଷୁରୀ ପରି ଏହାର ଲାଞ୍ଜ ଛୋଟ । ମୁଣ୍ତଟା ଚଉଡ଼ା; କାନ ଓ ଆଖିଦୁଇଟି ଦେହର ଆକାର ତୁଳନାରେ ଅତି କ୍ଷୁଦ୍ର । ଗୋଡ଼ ଚାରିଟା ମଧ୍ୟ ସାନ ମୋଟା ।

 

ମୁହଁଟା ଘୁଷୁରୀ ମୁହଁ ପରି ହୋଇଥିଲେ ମଧ୍ୟ ଥୋମଣିଟା ଘୁଷୁରୀ ଥୋମଣି ପରି ନୁହେ-। ତାହା ବଳଦ ଥୋମଣି ପରି; ମାତ୍ର ଅତି ଚଉଡ଼ା ।

 

ହାତୀ ସହିତ ଏହାର କେତେକ ପରିମାଣରେ ସାମଞ୍ଜସ୍ୟ ଥିବାରୁ ଦେଖାଯାଏ; ତେଣୁ ଏହାର ନାମ ‘ଜଳହସ୍ତୀ’ ।

 

ହାତୀ ପରି ଏହାର ବିରାଟ ଶରୀର । ସ୍ଥଳଭାଗରେ ହାତୀ ସବୁଠାରୁ ବଡ଼ ଜୀବ । ତା ତଳକୁ ଏହି ଜଳହସ୍ତୀ । ପ୍ରକାଣ୍ତ ଶରୀରକୁ ବହି ଝୁଲିଝୁଲି ଚାଲିଗଲା ବେଳେ ଦୁରରୁ ହାତୀ ଯାଉଥିଲା ପରି ଜଣାଯିବ ।

 

(୨)

 

Image

(ବିରାଟ ଜଳହସ୍ତୀର)

 

ଜଳହସ୍ତୀର ଦେହ ସାଧାରଣତଃ ସାଢ଼େ ୩ମି. ପଯ୍ୟନ୍ତ ଲମ୍ୱ ଓ ଦେଢ଼ ମି .ବା ୨ମି. ପର୍ଯ୍ୟନ୍ତ ଉଚ୍ଚ ହୁଏ । ଏ ପର୍ଯ୍ୟନ୍ତ ଦେଖାଯାଇଥିବା ସବୁଠାରୁ ବଡ଼ ଜଳହସ୍ତୀଟି ପ୍ରାୟ ୫ମି. ଲମ୍ୱ ଓ ୪ମି. ଉଚ୍ଚ ଥିଲା । ଗୋଟିଏ ଗୋଟିଏ ବୟସ୍କ ଜଳହସ୍ତୀ ବା ହିପୋର ଓଜନ ପାଞ୍ଚ ଟନରୁ କମ ହୁଏ ନାହିଁ । ( ଏକଟନ ପ୍ରାୟ ବାଲେଶ୍ୱରୀ ୨୭ ମହଣ ଓଜନ ସଙ୍ଗେ ସମାନ ) । ଏହା ଏତେ ମୋଟା ଯେ, ପେଟର ଗୋଲେଇ ପ୍ରାୟ ୪ ମି. ପଯ୍ୟନ୍ତ ହେବ ।

 

ଏହି ଜନ୍ତୁର ମୁହଁ ପାଖ ଅପେକ୍ଷା ପଛ ପାଖ ଟିକିଏ ଉଚ୍ଚ । ଦେହର ଯଥେଷ୍ଟ ମାଂସ; ତେଣୁ ଚମ ଉପରଟା କୁନ୍ଦିଲା ପରି ଦେଖାଯାଏ । ଚାରିଆଡ଼େ ପୁରି ରିହିଥାଏ । ଦେହରେ ବର୍ଣ୍ଣ ଧୁସର, ମାଟିଆ ବା ପାଉଁଶିଆ ।

 

ଗୋଡ଼ ଚାରୋଟି ସାନ ଓ ମୋଟା । ସେଥିରେ ହାତୀ ପାହୁଲ ପରି ପାହୁଲ । ସେ ପାହୁଲରେ ଚାରିଗୋଟି ଲେଖାଏଁ ନଖ ଥାଏ ।

 

ଦେହ ତୁଳନାରେ ମୁଣ୍ତଟା ଟିକିଏ ସାନ । କାନ ଦୁଇଟି ଅତି ସାନ । ଛୋଟ ଆଖି ଦୁଇଟି ଉପରକୁ ଉଠି ରହିଥାଏ । ଆଖି ତଳକୁ ଥୋମଣିଟି ଟିକିଏ ସରୁ ଦେଖାଯାଏ । ତାହା ତଳକୁ ଖୁବ୍ ଚଉଡ଼ା ଓ ମୋଟା ।

Image

ପାଟି ନୁହେତ ପର୍ବତ ଗୁମ୍ଫା

 

ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ମଧ୍ୟରୁ ସବୁଠାରୁ ଅଭୁତ ହେଉଛି ଏହାର ବିରାଟ ପାଟି । ପାଟି ତ ନୁହେଁ ସତେ ଯେପରି ଗୋଟାଏ ପର୍ବତ ଗୁମ୍ପା । ଦେହର ରଙ୍ଗ ଧୁସର ମାଟିଆ ହେଲେ ମଧ୍ୟ ଏଇ ପାଟି ଭିତରର ବର୍ଣ୍ଣ ନାଲି । ସେ ଯେତେବେଳେ ସେହି ଅତି ବଡ଼ ପାଟିକୁ ମେଲା କରିଦିଏ, ସେତେବେଳେ ତାହା ଭୟଙ୍କର ଦିଶେ ।

 

ପାଟି ଭିତରେ ତଳ ଉପର ହୋଇ ଦୁଇ ଧାଡ଼ି ଦାନ୍ତ । ଦାନ୍ତର ସଂଖ୍ୟା ଚାଳିଶ । ଏଗୁଡ଼ିକ ଅତି ଟାଣ ଓ ମୁନିଆଁ । ତଳ ମାଡ଼ିର ଦୁଇ ପାଖରେ ଦୁଇଟା ଲମ୍ୱା ଦାନ୍ତ ବଙ୍କାହୋଇ ଥୋମଣି ଉପରକୁ ଉଠିଆସିଥାଏ । ଏହା ଠିକ୍ ହାତୀ ଦାନ୍ତ ପରି; ମାତ୍ର ସେତେ ବଡ଼ ନୁହେ । ପଚାଶରୁ ଅଶୀ ସେ.ମି ମଧରେ ଏହା ଲମ୍ୱ ହୋଇ ବଢ଼ିଥାଏ ।

 

ଏହି ପାଟି ଓ ଦାନ୍ତ ହିପୋର ପ୍ରଧାନ ଅସ୍ତ୍ର । ଦାନ୍ତ ଅତି ଟାଣ ଓ ମୁନିଆ । ଏହି ଦାନ୍ତ ସାହାଯ୍ୟରେ ସେ ବଡ଼ ବଡ଼ ଗଛ, ଗଛର ଡ଼ାଳ ପ୍ରଭୁତି କାମୁଡ଼ି ଭାଙ୍ଗିପକାଏ । ନଈରେ ଯାଉଥିବା ଡଙ୍ଗା ବା ନାଆ ପ୍ରଭୁତି ଏହାର ଗୋଟିଏ କାମୁଡ଼ାରେ ଅକ୍ଳେଶରେ ଭାଙ୍ଗି ଚୂନା ହୋଇଯାଏ । ମୋଟା ଲୁହା ପାତଦିଆ ଜାହାଜକୁ ମଧ୍ୟ ସେ କାମୁଡ଼ି କଣା କରିଦିଏ ।

 

ଜଳହସ୍ତୀର ଫୁସ୍‌ଫୁସ୍ ଏଭଳି ଭାବରେ ତିଆରି ଯେ, ତାହା ଜଳଚର ପ୍ରାଣୀ ହେଲେ ମଧ୍ୟ ପାଣି ଭିତରେ ବୁଡ଼ି ବେଶି ସମୟ ରହିପାରିବ ନାହିଁ । ଖୁବ୍ ଅଧିକ ହେଲେ ଦଶ ମିନିଟ ପଯ୍ୟନ୍ତ ପାଣି ଭିତରେ ରହିପାରିବେ । ପ୍ରତି ପାଞ୍ଚ ମିନିଟ୍ ବା ଦଶ ମିନିଟରେ ସେ ପାଣି ଉପରକୁ ଉଠିଆସି ନିଃଶ୍ୱାସ ନିଏ । ପାଣି ଭିତରେ ବୁଡ଼ିଲାବେଳେ ବତକ ଭଳି ଏକାବେଳେ ତଳ ସ୍ତରକୁ ଚାଲିଯାଏ ଏବଂ ସେଠାରେ ଯେଉଁ ଦଳ,ଘାସ ଓ ଗଛଲତା ଜନ୍କିଥାଏ, ତାହା ଖାଏ । ତା ପରେ ପରେ ଉପରକୁ ଭାସିଉଠେ । ପାଣିରେ ଥିଲାବେଳେ ଅନବରତ ଏହିପରି ତଳ ଉପର ହେଉଥାଏ-

 

(୩)

 

ହିପୋ ମାଂସାଶୀ ପ୍ରାଣୀ ନୁହେ । ଆମ ଦେଶର ପ୍ରାଚୀନ କାଳର ମୁନି ଋଷିଙ୍କ ଭଳି ସେ କେବଳ ଫଳ, ମୂଳ ଖାଇ ବଞ୍ଚେ । ଗଛର ଡ଼ାଳ, ପତ୍ର, ଘାସ, ବିଲରେ ହୋଇଥିବା ଧାନ, ଗହମ ପ୍ରଭୁତି ଫସଲ ଏହାର ପ୍ରଧାନ ଖାଦ୍ୟ । ଏହି ଖାଦ୍ୟ ଜିନିଷ ସେ ଖୋଜିବା ଲାଗି ସେ ରାତିରେ ନଈରୁ ଉଠି ଶୁଖିଲାକୁ ଆସେ ଓ ବାଡ଼ିବଗିଚା ଓ ଫସଲକିଆରୀ ଉଜାଡ଼ି ପକାଏ । କିଆରିରୁ ଫସଲ ଯାହା ତ ଖାଇବାର ଖାଏ; କିନ୍ତୁ ତାହାର ଶହେ ଗୁଣ ପାଦରେ ଦଳି ଧସ୍ତନସ୍ତା କରିପକାଏ-

 

ଜଳହସ୍ତି ବହୁତ ବେଶି ଖାଏ । ମହଣ ମହଣ ଓଜନର ଖାଦ୍ୟ ସେ ଏକସମୟରେ ଖାଇ ଦେଇପାରେ । ସେ ଦୃଷ୍ଟିରୁ ଦେଖିଲେ, ତା ପେଟ ତ ପେଟ ନୁହେ, ଗୋଟିଏ ଓଦର ପରି ମହାଭାରତରେ ବଣ୍ଣିତ ଭୀମ ବା ବକ ରାକ୍ଷସ ପରି ଏହି ଜନ୍ତୁ ଅତି ପେଟୁ । ରାତିରେ ଖାଦ୍ୟ ଖୋଜିଖୋଜି ଏହା ବହୁତ ଦୂରକୁ ଚାଲିଯାଏ । କାରଣ ଏହାର ଓଦର ଭଳି ପେଟକୁ ପୁରାଇବା ଲାଗି ଯେତେ ଖାଦ୍ୟଦ୍ରବ୍ୟ ଦରକାର, ତାହା ପାଖଆଖରେ ସମ୍ଭବ ହୁଏ ନାହିଁ ।

 

ଡ଼ାଳ, ପତ୍ର, ଘାସ, ଫସଲ ପ୍ରଭୁତି ସିନା ତାର ଖାଦ୍ୟ; ମାତ୍ର ତା ପାଟିକୁ ଯାଏ, ସେ ତା ଗିଳି ପକାଏ । ଖାଇବା ବିଷୟରେ ତାର କିଛି ହେଲେ ବାଛ ବିଚାର ନ ଥାଏ । ଚିଡ଼ିଆଖାନାରେ ଥିବା ଜଳହସ୍ତୀକୁ ଦେଖିବାକୁ ଯାଇ କେହି କେହି କୌତୁଳରେ ଛୋଟ ଛୋଟ ହାଣ୍ତି ମାଠିଆ, ମୁଣ୍ତରେ ଟୋପି, ଜାମା, ଲୁଗା ପ୍ରଭୁତି ଏପରିକି ଢେଲା ମାଟି, ଛୋଟ ପଥର ଖଣ୍ତ ତା ପାଟିକୁ ପକାଇଥାନ୍ତି । ସେହି ବିରାଟ ପାଟି ଭିତରେ ପଡ଼ିବା ସଙ୍ଗେ ସଙ୍ଗେ ସେ ତାକୁ ଗିଳି ପକାଏ । ଅବଶ୍ୟ ପେଟ ଭିତରେ ଯେ ତାହା ହଜମ ହେଉଥିବ, ତାହା ନୁହେ । ତେଣୁ ସେ ବେମାରରେ ପଡ଼େ ଓ ଚିଡ଼ିଆଖାନା ପରିଚଳକଙ୍କୁ ହରକତରେ ପକାଏ । କଅଣ ଖାଦ୍ୟ କଅଣ ଅଖାଦ୍ୟ, ଏ ବାଛ ବିଚାର ତାର ନଥାଏ । ଯାହା ପାଟି ଗହରକୁ ଗଲେ, ସେ ତା ପେଟ ଭିତରକୁ ପଠାଇ ଦିଏ । ଜଳହସ୍ତୀର ଉପଦ୍ରବରେ ନୀଳନଦୀଠାରୁ ପ୍ରାୟ ୧୨,୧୩ କିଲୋମିଟର ଦୂର ଅଞ୍ଚଳରେ ଥିବା ଚାଷୀମାନେ ବ୍ୟତିବ୍ୟସ୍ତ ହୋଇଉଠନ୍ତି । ସେ ଯେତେ ସାବଧାନ ହେଲେ ମଧ୍ୟ ସେମାନଙ୍କ ଦାଉରୁ ଫସଲକୁ ରକ୍ଷା କରିପାରନ୍ତି ନାହିଁ । ଦଳ ଦଳ ଜଳହସ୍ତୀ ରାତିକ ଭିତରେ ମାଇଲ ମାଇଲ ଧରି ଫସଲକିଆରୀ ଉଜାଡ଼ି ପକାନ୍ତି । ଯାହା ଖାଇବାର ତ ଖାଆନ୍ତି, ବାକି ଯାହା ରହେ ତାକୁ ଗୋଡ଼ରେ ଦଳି ଚକଟି ନଷ୍ଟ କରିପାକାନ୍ତି ।

 

ବଣ ଭିତରକୁ ଯାଇ ଗଛ ଡ଼ାଳପତ୍ର ଖାଇବା ଅପେକ୍ଷା ସମତଳ ଅଞ୍ଚଳର ଚାଷି ଜମିରୁ ଖାଦ୍ୟ ଖାଇବାକୁ ଏମାନେ ବେଶି ପସନ୍ଦ କରନ୍ତି । ବଣକୁ ଗଲେ ନାନା ବିପଦ । ବଡ଼ ଶତ୍ରୁ ବାଘ, ସିଂହ ତ ବାଟ ଚାହିଁ ବସିଥିବେ । ପୁଣି ଗଛ ଲତା ଛନ୍ଦାଛନ୍ଦି; ବଣ ଭିତରୁ ବାହାରି ପଳାଇଆସିବା ସେତେ ସହଜ ନୁହେ । ଖୋଲାଜାଗା କିଆରୀରେ ଫସଲ ଖାଉଥିଲା ବେଳେ କେହି ଆକ୍ରମଣ କଲେ ସେଠାରୁ ପାଣିକୁ ସୁବିଧାରେ ପଳାଇ ଆସିହେବ ।

 

(୪)

 

ଜଳହସ୍ତୀ ସ୍ତନ୍ୟପାୟୀ ପଶୁ । ଏହା ଛୁଆ ଜନ୍ମ କରେ ଓ ତାକୁ ଦୁଧ ଖୁଆଇ ବଞ୍ଚାଏ । ଏହା ଘୁଷୁରୀଜାତୀୟ ପ୍ରାଣୀ ହୋଇଥିଲେ ମଧ ଘୁଷୁରୀ ପରି ଥରକେ ଅନେକଗୁଡ଼ିଏ ପିଲା ଜନ୍ମ କରେ ନାହିଁ । ମା ହିପୋ ଥରକେ ଅନେକଗୁଡ଼ିଏ ପିଲା ଜନ୍ମ କରେ ନାହିଁ । ମା ହିପୋ ଥରକେ ଗୋଟିଏ ମାତ୍ର ଛୁଆ ପ୍ରସବ କରେ । ସେତେବେଳେ ସେ ପାଣିରୁ ଶୁଖିଲାକୁ ଉଠିଆସେ ଓ ଘାସ ବୁଦା, ବଣ ଭିତରେ ଗୋଟିଏ ନିରାପଦ ସ୍ଥାନ ବାଛିନିଏ । ପିଲାଟି ଜନ୍ମ ହେବାରୁ ଅଳ୍ପ ସମୟ ପରେ ବେଶ୍ ଦମ୍ଭ ହୋଇଯାଏ । ତଳୁ ଉଠି ଡିଆଁ ଡେଇଁ କରେ ଓ ମା ଠାରୁ ଦୁଧ ଖାଏ । ସଙ୍ଗେ ସଙ୍ଗେ ମା ତାକୁ ଧରି ପାଣି ଭିତରକୁ ଚାଲିଯାଏ ।

 

ଛୁଆ ଜନ୍ମଠାରୁ ଛ ସାତ ମାସ ବୟସର ହେବାଯାଏ ମା ତାକୁ ପିଠିରେ ବସାଇ ପାଣିରେ ପହଁରୁଥାଏ । ତାପରେ ତାକୁ ପାଣିରେ ପହଁରିବାକୁ ଛାଡ଼ିଦିଏ ।

 

ଛୁଆ ପାଣିରେ ପହଁରୁଥିବାବେଳେ ମା ଅଳ୍ପ ଦୂରରେ ରହି ତାକୁ ଜଗିଥାଏ । ସେତେବେଳେ ସେ ପ୍ରତିମୁହୁର୍ତ୍ତରେ ଗୋଟିଏ ଅଦ୍ଭୁତ ପ୍ରକାରର ଗର୍ଜନ କରେ । ଯୋରରେ ପ୍ରଶ୍ୱାସ ମାରିବା ଯୋଗେ ଏ ଶବ୍ଦ ହୁଏ; ସତେ ଯେପରି ସେ ଶତ୍ରୁମାନଙ୍କୁ ଜଣାଇ ଦିଏ, ‘‘ସାବଧାନ ମୋ ପିଲାର କେହି କିଛି କ୍ଷତି କରନାହିଁ । ଏଠାରେ ମୁଁ ରହିଛି ।’’

 

ଜଳହସ୍ତୀ ହିଂସ୍ର ପ୍ରାଣୀ ନୁହେ । ମାତ୍ର ତା ଉପରକୁ ବା ତା ପିଲା ଉପରକୁ କୌଣସି ବିପଦ ଆସିବାକୁ ଆଶଙ୍କା କଲେ ସେ ଅତି ଭୀଷଣ ହୋଇଉଠେ ।

 

Image

(ଛୁଆକୁ ପିଠିରେ ଧରି ପହଁରୁ ଆଛି)

 

ପାଣି ଭିତରେ କୁମ୍ଭୀର ଓ ଶୁଖିଲାରେ ବାଘ ତାର ବଡ଼ ଶତ୍ରୁ । ଏ ଦୁହେଁ ଛୁଆକୁ ଖାଇଯିବା ଲାଗି ସବୁବେଳେ ସୁଯୋଗ ଉଣ୍ତୁ ଥାନ୍ତି । ମା ତାହା ଜାଣିପାରିଲେ ଆସି ତାଙ୍କ ସହିତ ଯୁଦ୍ଧ କରେ । ଅଧିକାଂଶ ସମୟରେ ଅବଶ୍ୟ ସେ ମରେ; କିନ୍ତୁ ଶତ୍ରୁକୁ ଏଭଳି ଆଘାତ କରିଥାଏ ଯେ, ସେ ତା ଜୀବନରେ କେବେ ହିପୋଛୁଆ ଖାଇବାକୁ ମନ କରିବ ନାହିଁ । ବେଳେବେଳେ ହିପୋ ଆକ୍ରମଣରେ ବାଘ ଓ କୁମ୍ଭୀର ମରିଯାଇଥିବାର ମଧ୍ୟ ଦେଖାଯାଏ ।

 

ଜଳହସ୍ତୀମାନେ ଦଳ ବାନ୍ଧି ରହନ୍ତି । ତେଣୁ ବିପଦ ଆପଦ ପଡ଼ିଲେ ସମସ୍ତେ ଏକଯୁଟ ହୋଇଯାଆନ୍ତି ଓ ଶତ୍ରୁ ସହିତ ଲଢ଼ନ୍ତି । ତେଣୁ ଛୁଆ ଜଳହସ୍ତୀର କଅଁଳ ମାଂସ ଖାଇବାକୁ ବାଘ ପାଟିରୁ ଲାଳ ବୋହିଲେ ମଧ୍ୟ ସେ ତା ଉପରେ ଆକ୍ରମଣରେ କରିବାକୁ ସହଜରେ ସାହାସ କରେ ନାହିଁ ।

 

ଛୁଆଟି ଦୁଇ ବର୍ଷ ପଯ୍ୟନ୍ତ ମା ସଙ୍ଗେ ସଙ୍ଗେ ରହିଥାଏ । ତା ପରେ ତାର ନାଁବାଳକ ଅବସ୍ଥା କଟିଯାଏ । ସେ ଦଳରେ ମିଶି ବା ସ୍ୱତନ୍ତ୍ର ଦଳ ଗଢ଼ି ଚଳ ପ୍ରଚଳ ହୁଏ ।

 

ହିପୋର ପରମାୟୁ ସାଧାରଣତଃ ପଚାଷ ଷାଠିଏ ବର୍ଷ । ଚିଡ଼ିଆଖାନାରେ ପୋଷା ହେଉଥିବା ହିପୋ ଏତେ ବର୍ଷ ବଞ୍ଚି ରହି ପାରନ୍ତି ନାହିଁ । ଏଠାରେ ଏମାନେ ପାଣି ଅପେକ୍ଷା ବେଶି ସମୟ ମାଟି ଉପରେ ରୁହନ୍ତି । ବୋଧହୁଏ କେତେକ ଦିନ ରହିଗଲା ପରେ ବାହାରୁ କୌଣସି ବିପଦ ଆସିବାର ଆଶଙ୍କା ନାହିଁ ବୋଲି ବୁଝିପାରନ୍ତି । ତେଣୁ ପାଣିରେ ନ ରହି କୁଳରେ ଥିବା ସନ୍ତସନ୍ତିଆ ଓଦା ଓ ଅନ୍ଦାରୁଆ ଯାଗାରେ ଶୁଅନ୍ତି ବା ଚଲାବୁଲା କରନ୍ତି । ସେଥିପାଇଁ ଚିଡ଼ିଆଖାନାମାନଙ୍କରେ ପାଣି ପାଖରେ ହିଁ ଚାରିଆଡ଼େ ନିବୁଜ କରି ଘର ତିଆରି ହୋଇଥାଏ । ସେହି ଘରର କୋଣ ଭିତରେ ଜଳହସ୍ତୀ ଅଧିକାଂଶ ସମୟ ଶୋଇ କଟାଇ ଦିଏ ।

 

ଆଉ ଗୋଟିଏ ଜାତିର ଜଳହସ୍ତୀ ଅଛନ୍ତି, ସେମାନଙ୍କ ଆକାର ସାନ । ସେମାନଙ୍କୁ ‘ବାମନ ଜଳହସ୍ତୀ’ ଆଖ୍ୟା ଦିଆଯାଇ ପାରେ । ବଡ଼ ବଣୁଆ ଘୁଷୁରୀ ପରି ଏମାନେ ଦେଖାଯାନ୍ତି; ମାତ୍ର ଅଧିକାଂଶ ସମୟରେ ପାଣି ଭିତରେ ରହନ୍ତି । ବଡ଼ ଜଳହସ୍ତୀ ପରି ପାଣିଉପରେ ନ ଭାସି ଏମାନେ ଏମାନଙ୍କ ଦେହକୁ ସବୁ ସମୟରେ ପାଣି ଭିତରେ ବୁଡ଼ାଇ ରଖିଥାନ୍ତି । ପ୍ରତିମୁହୁର୍ତ୍ତରେ ଉପରକୁ ମୁହଁ ଦେଖାଇ ନିଃଶ୍ୱାସ ନିଅନ୍ତି । ପୁଣି ସଙ୍ଗେ ସଙ୍ଗେ ବୁଡ଼ି ଯାଆନ୍ତି । ଏମାନେ ସବୁବେଳେ କାର୍ଯ୍ୟବ୍ୟସ୍ତ ଥିଲା ପରି ଜଣା ପଡ଼ନ୍ତି । ମିନିଟିଏ ଦୁଇ ମିନିଟ୍ ମଧ୍ୟ ଥୟ ହୋଇ ରହିପାରନ୍ତି ନାହିଁ । ପାଣି ଭିତରେ ସବୁବେଳେ ଏପାଖ ସେପାଖ ହେଉଥାନ୍ତି ଓ ଅତ ଦ୍ରୁତବେଗରେ ପହଁରୁ ଥାଆନ୍ତି ।

 

ଆଫ୍ରିକାର ଆଦିମଅଧିବାସୀ ନିଗ୍ରୋମାନଙ୍କର ଜଳହସ୍ତୀ ମାଂସ ଅତି ପ୍ରିୟ ଖାଦ୍ୟ । ଗୋଟିଏ ଜଳହସ୍ତୀ ଶିକାର କଲେ ଅନେକ ଦିନ ପଯ୍ୟନ୍ତ ଖାଦ୍ୟ ସଂଗ୍ରହ ଚିନ୍ତାରୁ ନିଷ୍କୁତ ମିଳିବ । ତେଣୁ ସେମାନେ ଜଳହସ୍ତୀ ଶିକାର କରିବାକୁ ବେଶି ଭଲ ପାଆନ୍ତି । ସେଥିରେ ଖାଦ୍ୟ ତ ମିଳେ; ଆମୋଦି ବି ହୁଏ ।

 

ଜଳହସ୍ତୀ ଶିକାର ଅତି କଷ୍ଟକର କଥା । ଶୁଖିଲାରେ ଥିବାବେଳେ ତାର ବିଶେଷ କରାମତି ନ ଥାଏ; ମାତ୍ର ବିପଦ ଆଶଙ୍କା କଲେ ସଙ୍ଗେ ସଙ୍ଗେ ଦଉଡ଼ି ପାଣି ମଧ୍ୟକୁ ପଳାଇଯାଏ । ସେତେବେଳେ ତାକୁ ଆଉ ପାରେ କିଏ ? ଡଙ୍ଗା ବା ନାଆରେ ବସି ତା ପିଛା ଧଇଲେ ହୁଏତ ସେ ପାଟିରେ କାମୁଡ଼ି ଡଙ୍ଗା କଣା କରିଦେବ; ନଚେତ୍ ତାହାକୁ ଓଲଟାଇ ପକାଇବ । ଶିକାରୀମାନଙ୍କୁ ହାବୁଡ଼ରେ ପାଇଲେ ଝୁଣି ଟିକ୍ ଟିକ୍ କରି ପକାଇବ ।

 

ଜଳହସ୍ତୀ ଶିକାର କରିବାକୁ ହେଲେ ଦଳେ ନିଗ୍ରୋ ଏକାଠି ହୋଇ ତିନି ଚାରିଖଣ୍ତି ଡ଼ଙ୍ଗାରେ ନଦୀ ଭିତରକୁ ଯାଆନ୍ତି । କେଉଁ ଅଞ୍ଚଳରେ ଓ କି ପରିସ୍ଥିତରେ ଜଳହସ୍ତୀ ରହନ୍ତି, ତାହା ସେମାନଙ୍କୁ ଜଣା ।

 

ଶିକାରୀମାନେ ଜଳହସ୍ତୀ ଶିକାର କରିବା ଲାଗି ଗୋଟିଏ ବିଶେଷ ଧରଣର ଅସ୍ତ୍ର ତିଆରି କରିଥାନ୍ତି । ଗୋଟିଏ ବଡ଼ ବର୍ଛା – ତାର ଅଗ ଅତି ମୁନିଆଁ ସେଥିରେ ବିଷ ବୋଳା ହୋଇଥାଏ । ବନସୀ କଣ୍ଟା ବା ଧନୁ ତୀରର ମୁନ ପରି ଏହାର ମୁନ ଆଗରୁ ପଛକୁ ଓଲଟି ଆସିଥାଏ । ତେଣୁ ତାହା କୌଣସିଠାରେ ଗଳିଗଲେ ଆଉ ସହଜରେ ବାହାରି ଆସିପାରେ ନାହିଁ । ସେହି ବର୍ଛାର ବେଣ୍ଟରେ ଅତି ଟାଣ ଚମଡ଼ାତିଆରି ଲମ୍ୱା ଦଉଡ଼ି ବନ୍ଧା ହୋଇଥାଏ ।

 

ପୁଣି ଏହି ସିକାର ପାଇଁ ସ୍ୱତନ୍ତ୍ର ପ୍ରକାର ଡଙ୍ଗା ବି ତିଆରି ହୋଇଥାଏ । ସାଧାରଣ ଡଙ୍ଗା ଓଲଟି ପଡ଼ିଲେ ବା ସେଥିରେ ପାଣି ପଶିଗଲେ, ତାହା ବୁଡ଼ିଯିବ । ସେଥିପାଇଁ ଗୋଟିଏ ମୋଟା ତାଳଗଛ କାଟି ନିଗ୍ରୋମାନେ ଭେଳା ତିଆରି କରିଥାନ୍ତି । ତାଳଗଛର ପେଟରୁ ଶସ କାଟି ବାହାର କରି ଦିଆ ଯାଇଥିବାରୁ ତାହା ପୋଲା ହୋଇଥାଏ । ଏହି ଭେଳା ପାଣି ଭିତରେ ବୁଡ଼ିଯିବାର ଆଶଙ୍କା ନଥାଏ ।

 

ଶିକାରୀମାନେ ପ୍ରଥମେ ଗୋଟିଏ ଭେଳା ପଠାଇ ଜଳହସ୍ତୀର ରହିବା ସ୍ଥାନ ଠିକ୍ କରିନିଅନ୍ତି । ତା ପରେ ସବୁଯାକ ଭେଳା ନଦୀରେ ପକାଇ ଆନନ୍ଦ ମନରେ ଯୁଦ୍ଧଯାତ୍ରା କରନ୍ତି । ସେତେବେଳେ ସେମାନେ ସ୍ଥିରଭାବରେ ଜାଣିଯାଇଥାନ୍ତି ଯେ, ହୁଏତ ସେମାନଙ୍କଭିତରୁ କେତେକ ଆଉ ଫେରିଆସିବା ସମ୍ଭବ ହେବନାହିଁ ।

 

କେତେକ ଦିନ ଓ ରାତି ଯାତ୍ରା କଲା ପରେ ଯେତେବେଳେ ଯାଣନ୍ତି ଯେ, ଜଳହସ୍ତୀ ରହିବା ସ୍ଥାନ ନିକଟ ହୋଇଗଲାଣି, ସେତେବେଳେ ଅଧିକ ସାବଧାନ ହୋଇଯାନ୍ତି । ପାଟିତୁଣ୍ତ ତ ଦୁରର କଥା, କଥାବାତ୍ତା ବି ଏକାବେଳକେ ବନ୍ଦ । ପ୍ରତ୍ୟେକ ଭେଳାରେ ଦଳେ ବର୍ଛା ବାଗେଇ ଧରି ପ୍ରସ୍ତୁତ ହୋଇ ରହିଥାନ୍ତି, ଅନ୍ୟ ଦଳକ ଭେଳା ଯେପରି ଠିକ୍ ରୁପେ ଚାଲିବ, ସେଥିପ୍ରତି ତତ୍ପର ଥାଆନ୍ତି ।

 

ଭେଳା ଅତି ଧୀର ଗତିରେ ଓ ନିଃଶଦ୍ଧରେ ଆଗକୁ ଯାଉଥାଏ । ଜଳହସ୍ତୀ ଦଳ ଯେତେବେଳେ ଜଳକ୍ରୀଡ଼ା କରୁଥାନ୍ତି, ସେତେବେଳେ ପାଣି ଅତି ଯୋରରେ ଲହଡ଼ୀ ଭାଙ୍ଗେ, ସେ ଶବ୍ଦ ମଧ୍ୟ ବହୁତ ଦୁରକୁ ଶୁଣାଯାଏ । ଶିକାରୀମାନେ ଏଇ ଶବ୍ଦ ଶୁଣି ପାରିଲେ ଭେଳା ଉପରେ ଆଉ ଠିଆ ହୋଇ ରହନ୍ତି ନାହିଁ, ଶୋଇ ପଡ଼ନ୍ତି ।

 

କ୍ରମେ ଅନେକଗୁଡ଼ିଏ ଜଳହସ୍ତୀ ଆନନ୍ଦମନରେ ପାଣିରେ ଖେଳୁଥିବାର ସେମାନେ ଦେଖିପାରନ୍ତି । କେହି ଏକାକୀ ଯୋରରେ ପହଁରିବାରେ ଲାଗିଥାଏ । କେହି କେହି ନିଜ ମଧ୍ୟରେ କଉତୁକରେ ମରାମରି ଲଗାଇ ଥାଆନ୍ତି । କେହି ବା ବିରାଟ ମୁହଁଟିକୁ ପାଣି ଉପରେ ରଖି ଘୁମାଉଥାଏ । କେହି ଅନ୍ୟ ଉପରକୁ ପାଣି ଫିଙ୍ଗୁଥାଏ ।

 

ଭେଳା ଅତି ନିକଟକୁ ଆସିଗଲେ ଶିକାରୀମାନେ ପ୍ରଥମେ ଗୋଟିଏ ଜଳହସ୍ତୀକୁ ଲକ୍ଷ୍ୟ କରି ଦଉଡ଼ିବନ୍ଦା ବର୍ଛା ଫିଙ୍ଗନ୍ତି । ତାର ଆଖି, ପାଟି ବା ନାକ ଭିତରକୁ ପ୍ରଥମ ବର୍ଛା ମାରିବାକୁ ସେମାନେ ଚେଷ୍ଟା କରନ୍ତି । ତା ପରେ ଆଉ ଲୁଚକାଳି ଖେଳିବାର ଆବଶ୍ୟକତା ନ ଥାଏ । ଖୁବ୍ ଜୋରରେ ପାଟିକରି, ନାଚି କୁଦି, ଢୋଲ ପିଟି ଅନ୍ୟ ଜନ୍ତୁଗୁଡ଼ିକୁ ସେଠାରୁ ତଡ଼ିଦେବାର ଉଦ୍ୟମ ହୁଏ । ସେମାନେ ରହିଲେ ବିପଦ ଘଟିବାର ଖୁବ୍ ଆଶଙ୍କା ।

 

ସାଙ୍ଗ ସାଥି ଭୟରେ ପଳାଇଗଲେ ହତଭାଗ୍ୟ ଶିକାରକୁ ଆୟତ୍ତକୁ ଆଣିବା ସହଜ । ବର୍ଛା ମାଡ଼ଖାଇ ସେ ବିକଟ ଗଜନ କରି ଉଠେ ଏବଂ ସେଠାରୁ ପଳାଇଯିବାକୁ କିମ୍ୱା ପାଣି ଭିତରେ ବୁଡ଼ି ଯିବାକୁ ଚେଷ୍ଟା କରେ । ସେ ଯେତିକି ଦୂରକୁ ଚାଲିଯାଉଥାଏ, ବର୍ଛା ଦଉଡ଼ା ସେତିକି ଲମ୍ୱାଇ ଦେବାକୁ ପଡ଼ିଥାଏ । ତା ନ ହେଲେ ଭେଳା ସହ ଶିକାରୀମାନେ ପାଣିରେ ବୁଡ଼ିଯିବେ । ତା ଗତିକୁ ଲକ୍ଷ୍ୟ କରି ଭେଳା ପଛେ ପଛେ ଚାଲିଯାଏ । ପୁଣି ସୁବିଧା ହେଲେ ଆଉ ତିନି ଚାରିଗୋଟି ବର୍ଛା ତା ଦେହକୁ ଲକ୍ଷ୍ୟ କରି ମରାଯାଏ । ଜନ୍ତୁଟିର ରକ୍ତରେ ସେ ଅଞ୍ଚଳର ପାଣି ଲାଲ ହୋଇଯାଏ ।

 

Image

ମୃତ୍ୟୁ ଯନ୍ତ୍ରଣାରେ ଅସ୍ଥିର ହୋଇ ସେହି ଭୀଷଣ ଜନ୍ତୁଟି ଥରକୁ ଥର ପାଣି ଭିତରେ ବୁଡ଼ିଯାଉଥାଏ ଓ କିଛି ସମୟ ପରେ ଉପରେ ଭାସିଉଠୁଥାଏ । ଏହିପରି ପାଞ୍ଚ ଛଅ ଘଣ୍ଟା ଯାଏ ଶିକାରୀ ଓ ଶିକାର ମଧ୍ୟରେ ଟଣାଓଟରା ଚାଲେ । ଶେଷକୁ ପାଣି ତଳେ ସେ ମରିଯାଏ । ବର୍ଛା ଦଉଡ଼ିରେ ଆଉ ଟାଣ ନପଡ଼ିଲେ ଶିକାରୀମାନେ ବୁଝିଯାଆନ୍ତି ଯେ, ସେମାନଙ୍କ ଜୟ ହୋଇଛି । ସେମାନେ ବର୍ଛାବନ୍ଧା ଦଉଡ଼ିକୁ ଆସ୍ତେ ଆସ୍ତେ ଟାଣନ୍ତି, ଭେଳା କୁଳକୁ ଯାତ୍ରାକରେ, ତା ପଛେ ପଛେ ଜଳହସ୍ତୀର ମୃତଦେହ ଭାସି ଭାସି ଯାଉଥାଏ-

 

(୬)

 

ଅନେକ ସମୟରେ ମାଟି ଉପରେ ବି ଜଳହସ୍ତୀ ଶିକାର କରାଯାଏ । ଜଳହସ୍ତୀ ଦଳ ରାତିରେ ପାଣିରୁ ଉଠି ଶୁଖିଲାକୁ ଆସନ୍ତି ଓ ଫସଲ କିଆରୀ ବଣଜଙ୍ଗଲ ବା ବାଡ଼ି ବଗିଚାରେ ପାଣି ଖାଦ୍ୟ ଖାଆନ୍ତି । ସେମାନଙ୍କର ସ୍ୱଭାବ, ଥରେ ଯେଉଁ ବାଟ ଦେଇ ଯାଇଥିବେ, ସେହି ବାଟ ଦେଇ ଫେରିବେ ଓ ପ୍ରତିଦିନ ସେହିବାଟରେ ଯିବା ଆସିବା କରିବେ ।

 

ଶିକାରୀମାନେ ପ୍ରଥମେ ଜଳହସ୍ତୀ ଦଳର ବାଟ ଠିକଣା କରିନିଅନ୍ତି । ସେହି ବାଟରେ ଥିବା କୌଣସି ଗଛ ଉପରେ ସେମାନେ ବସି ରହନ୍ତି । ହାତରେ ଅତିବେଶି ଓଜନରେ ବାର୍ଛା ଧରିଥାନ୍ତି । ଜଳହସ୍ତୀ ଦଳ ସେ ବାଟ ଦେଇ ଗଲାବେଳେ ସେମାନେ ଚୁପଚୁପ ବସିରହନ୍ତି । ସର୍ବଶେଷ ଜନ୍ତୁଟି ଯେତେବେଳେ ଗଛ ତଳକୁ ଆସେ, ସେତେବେଳେ ଗୋଟିଏ ନୁହେଁ, ତିନି ଚାରିଗୋଟି ବର୍ଛା ଏକ ସମୟରେ ସେମାନେ ଉପରୁ ମାରନ୍ତି । ବର୍ଛାମାଡ଼ ଖାଇ ଜନ୍ତୁଟି ପ୍ରାଣଭୟରେ ସେଠାରୁ ଦଉଡ଼ି ପଳାଇଯାଏ । ସେତେବେଳେ ସେ ବାଟ ଘାଟ ମାନେ ନାହିଁ । ଏକା ନିଃଶ୍ୱାସକେ ତିନି ଚାରି ମାଇଲ ଦଉଡ଼ି ଗଲା ପରେ ଦେହରୁ ଅଧିକ ରକ୍ତ ବୋହିଯିବାରୁ ଦୁର୍ବଳ ହୋଇପଡ଼େ ।

 

ଶିକାରୀମାନେ ରାତିରେ ଆଉ ତା ପିଛା ଧରନ୍ତି ନାହିଁ । ସେହି ଗଛ ଉପରେ ବସି ରାତି କଟାନ୍ତି । ପରଦିନ ସକାଳେ ତାକୁ ଖୋଜିବାକୁ ବାହାରନ୍ତି । ଅଧିକାଂଶ ସମୟରେ ପାଣିରେ ମୃତଦେହ ଭାସୁଥିବାର ଦେଖାଯାଏ ।

 

(୭)

 

ବନ୍ଧୁକ ଆବିଷ୍ମାର ହେବାପରଠାରୁ ଜଳହସ୍ତୀ ଶିକାର ଖୁବ୍ ସହଜ ହୋଇପଡ଼ିଛି । ଜଣେ ଶିକାରୀ ତାଙ୍କ ଶିକାର ବିବରଣୀରେ ଲେଖିଛନ୍ତି ।

 

କ୍ରମେ ଅନ୍ଧାର ହୋଇ ଆସୁଥାଏ; କିନ୍ତୁ ରାତି ହୋଇ ନ ଥାଏ । ପରିଷ୍କାର ନ ଦେଖାଗଲେ ମଧ୍ୟ ବାଟଘାଟ ଚିହ୍ନି ହେଉଥାଏ । ମୁଁ ବନ୍ଧୁକ ଧରି ନଦୀକୁଳର ଗୋଟିଏ କାଣ୍ତଶର ବଣ ଭିତରେ ପଶିଲି ବଣଟି ଅତି ନିଘଞ୍ଚ ।

 

ଅତି ସାବଧାନରେ କେତେକ ବାଟ ଗଲା ପରେ ଦେଖିଲେ ଚାରିଗୋଟି ଜଳହସ୍ତୀ ଅଧେ ପାଣି ଓ ଅଧା ଶୁଖିଲାରେ ନିଶ୍ଚୟ ମନରେ ଶୋଇଅଛନ୍ତି । ସେମାନଙ୍କ ଶୁଣିବା ଶକ୍ତି ଏତେ ବେଶି ଯେ, ମୁଁ ଖୁବ୍ ଆସ୍ତେ ଆସ୍ତେ ପାଦ ପକାଉଥିଲେ ମଧ୍ୟ, ସେମାନେ ଶବ୍ଦ ଶୁଣି ଚମକି ଉଠିଲେ-। ସେମାନଙ୍କ ଗାଢ଼ ନିଦ ଭାଙ୍ଗିଗଲା । ସେମାନେ ସଙ୍ଗେ ସଙ୍ଗେ ପାଣି ଭିତରକୁ କୁଦି ପଡ଼ି ଗଭୀର ଜଳରେ ବୁଡ଼ିଗଲେ । ମୁଁ ସେମାନଙ୍କ ଚିହ୍ନବର୍ଣ୍ଣ ଦେଖିବାକୁ ପାଇଲି ନାହିଁ; ତଥାପି ଚୁପ୍ ହୋଇ ଠିଆହୋଇଥାଏ । ଅଳ୍ପ ସମୟ ପରେ ନଈ ମଝିରୁ ଶବ୍ଦ ଶୁଣାଗଲା । ପାଣିରେ ଭାରି ଜିନିଷ ପିଟିଲେ ଯେଭଳି ଶବ୍ଦ ହୁଏ, ସେହିଭଳି ଶବ୍ଦ । ସେହି ଶବ୍ଦକୁ ଅନୁସରଣ କରି ମୁଁ କାଣ୍ତଶର ବଣରୁ ନଦୀକୁଳ ଖୋଲାଯାଗାକୁ ଗଲି । ଜହ୍ନରାତି ପରିଷ୍କାର ସେମାନଙ୍କୁ ଦେଖିବାକୁ ପାଇଲି । ତେଣୁ ମୁଁ ଜାଣିପାରିଲି ଯେ, ସେଥିରୁ ଗୋଟିଏ ପୁରୁଷ ଓ ତିନିଗୋଟି ସ୍ତ୍ରୀ ଜନ୍ତୁ । ସମସ୍ତେ ପାଣିରେ ପହଁରି ଖୁସିମନରେ ଖେଳୁଅଛନ୍ତି । ଶବ୍ଦ ଶୁଣି ସିନା ଡରିଯାଇଥିଲେ; ମାତ୍ର ବିପଦ ଯେ କେତେ ନିକଟରେ, ତାହା ଜାଣିପାରି ନ ଥିଲେ ।

 

ମୁଁ ପ୍ରଥମେ ମୋ ଆଡ଼କୁ ରହିଥିବା ସ୍ତ୍ରୀ ଜଳହସ୍ତୀର ମୁଁଣ୍ତକୁ ଲକ୍ଷ୍ୟ କରି ବନ୍ଦୁକ ଫୁଟାଇଲି । ଗୁଳି ତାର ତାଳୁ ଉପରକୁ ଭେଦ କରିବା ମାତ୍ରକେ ସେ ଚକ୍ରପରି ପାଣି ଭିତରେ ଆଠ ଦଶ ଥର ଘୁରିଗଲା । ସେତେବେଳେ ଯେଉଁ ଶବ୍ଦକଲା, ସେଥିରେ ସେ ଅଞ୍ଚଳ କମ୍ପି ଉଠିଲା । ଅନ୍ୟ ତିନୋଟି ଏ ବିପଦ ଦେଖି ପାଣିରେ ବୁଡ଼ିଗଲେ । ମୁଁ ଆଉ ସେମାନଙ୍କ ପ୍ରତି ଧ୍ୟାନଦେଲି ନାହିଁ-। ଗୁଳିମାଡ଼ ଖାଇଥିବା ଶିକାରଟି କାଳେ ଆଖି ଆଗରୁ ଅଦୃଶ୍ୟ ହୋଇଯିବ, ସେଥିପାଇଁ ତାର ଗତିବିଧି ଏକଧ୍ୟାନରେ ଦେଖୁଥାଏ ।

 

ଆହତ ଜଳହସ୍ତୀ କିଛି ସମୟ ଅଚେତ ହୋଇ ଯାଇଥିଲା । ତା ପରେ ଚେତନ ପାଇ ପାଣିରେ ବାଡ଼େଇ କଚାଡ଼ି ଦେବାକୁ ଲାଗିଲା । ଥରକୁ ଥର ସମସ୍ତ ଦେହ ପାଣି ଭିତରେ ବୁଡ଼ାଇ ଦେଉଥାଏ, ପୁଣି ପରମୁହୁର୍ତ୍ତରେ ମୁହଁକୁ ଟେକି ଭାସୁଥାଏ ।

 

ମୁଁ ପୁଣି ଥରେ ଗୁଳି ମାଇଲି । ଏଥର ସେ ଏକାବେଳକେ ନିସ୍ତେଜ ହୋଇପଡ଼ିଲା । ସେ ବାଡ଼େଇ ପିଟି ହେବା ଫଳରେ ପାଣି ଏବେ ଜୋରରେ ଲହଡ଼ୀ ମାରୁଥିଲା ଯେ, ସେହି ଲହଡ଼ୀ ସୁଅରେ ସେ କୂଳକୁ ତଡ଼ିହୋଇ ଚାଲିଆସିଲା ।

 

ପାଣିରେ କୁମ୍ଭୀରର ଭୟଥାଏ । ତଥାପି ଶିକାର କରିଥିବାରୁ ମୋ ମନ ଏତେ ଖୁସି ହୋଇଯାଇଥାଏ ଯେ, ମୁଁ ସଙ୍ଗେ ସଙ୍ଗେ ତାକୁ କୂଳକୁ ଟାଣି ଆଣିବାକୁ ଚେଷ୍ଟାକଲି ତାକୁ କୂଳକୁ ଟାଣି ଆଣିବା ପାଇଁ ପାଣି ଭିତରେ ପଶିଗଲି । ମୁଁ ଭାବିଥିଲି, ସେ ନିଶ୍ଚୟ ମରିଯାଇଥିବ । ମୁଁ ତା ଲାଞ୍ଜ ଧରି ପାଣିରୁ ଟାଣିଆଣିବି ।

 

ମାତ୍ର ଆଣ୍ଠୁ ଏ ପାଣିରେ ପଶି ମୁଁ ତା ଲାଞ୍ଜରେ ହାତ ଦେବା ମାତ୍ରକେ ବୁଝିପାରିଲି, ସେ ମରି ନାହିଁ । ତା ତେଜ ମଧ୍ୟ କମି ନାହିଁ । ସେ ମୋତେ ଘୋଷାରି ପାଣି ଭିତରକୁ ଟାଣି ନେବାକୁ ଚେଷ୍ଟା କରୁଛି । କ୍ରମେ ପାଣି ମୋର ଅଣ୍ଟା ଯାଏ ହେଲା, ଛାତିଏ ହେଲା । ଯେତେବେଳେ ବେକ ପାଖକୁ ପାଣିଲାଗିଲା, ମୁଁ ଆଉ ନିଶ୍ଚିନ୍ତ ରହିପାରିଲି ନାହିଁ । ଅଣ୍ଟାରୁ ଛୁରି ବାହାର କରି ତା ପିଚା ଉପରେ ହାତେ ଲମ୍ୱର ଚମଡ଼ା ଛେଲି ପକାଇଲି । ସେହି ଚମଡ଼ାକୁ ଧରି ଜୋରରେ କୁଳକୁ ଟାଣିବାକୁ ଲାଗିଲି । ଏହି ସମୟରେ ମୋର ସାଙ୍ଗ ସାଥୀମାନେ ଆସି ସେଠାରେ ପହଞ୍ଚିଗଲେ । ସେମାନେ ସାହାଯ୍ୟ କରି ନ ଥିଲେ, ଶିକାରକୁ ଶୁଖିଲାକୁ ଆଣିବା ସମ୍ଭବ ହୋଇପାରି ନ ଥାନ୍ତା । ଶୁଖିଲାରେ କିଛି ସମୟ ଶୁକ୍ ଶୁକ୍ ହେଲା ପରେ ସେହି ବିଶାଳ ଦେହ ଅଚଳ ହୋଇପଡ଼ିଲା ।

 

(୮)

 

ପାଣି ଭିତରେ କୁମ୍ଭୀରର ଜଳହସ୍ତୀକୁ ଯେତିକି ଡ଼ର, ଜଳହସ୍ତୀର କୁମ୍ଭୀରକୁ ମଧ୍ୟ ସେତିକି ଭୟ । ଗୋଟିଏ ଅନ୍ୟକୁ କାବୁ କରିବା ପାଇଁ ସବୁ ସମୟରେ ଛକା ପଞ୍ଚାରେ ରହିଥାଆନ୍ତି-

 

ଜଳହସ୍ତୀର ମାଂସ କୁମ୍ଭୀରର ଅତି ପ୍ରିୟ ଖାଦ୍ୟ । ମାତ୍ର ଗୋଟିଏ ବଡ଼ ଜଳହସ୍ତୀ ଶିକାର କରିବା ତା ପକ୍ଷରେ ଏକାବେଳକେ ଅସମ୍ଭବ । ତେଣୁ ସେ ଛୁଆଟିଏ ଧରି ମନଖୁସିରେ ଖାଇବା ପାଇଁ ସବୁ ସମୟରେ ଓର ଉଣ୍ଡୁ ଥାଏ ।

 

ଜଳହସ୍ତୀ ଓ କୁମ୍ଭୀର ଭିତରେ କିପରି ଲଢ଼େଇ ଲାଗେ, ସେ ସମ୍ପର୍କରେ ଜଣେ ଶିକାରୀ ଗୋଟିଏ ସୁନ୍ଦର ବର୍ଣ୍ଣନା ଦେଇଛନ୍ତି ।

 

ସେ ଲେଖିଛନ୍ତି–ଆମେ ଦଳେ ସାଙ୍ଗହୋଇ ଜଳହସ୍ତୀ ଶିକାର କରିବାକୁ ଯାଇଥିଲୁ । ଆମ ଜୀବନରେ ତାହା ହିଁ ପ୍ରଥମ ଜଳହସ୍ତୀ ଶିକାର । ଆମେ ଯାଇ ନୀଳନଦୀକୂଳର ଗୋଟିଏ ସୁବିଧା ସ୍ଥାନରେ ଗଛ ଉପରେ ବସି ସୁଯୋଗକୁ ଅପେକ୍ଷା କରିଥାଉଁ ।

 

ଅନ୍ଧାର ହେବାକୁ ଆଉ ଅଳ୍ପ ସମୟ ବାକି ଅଛି । ଆମେ ଦେଖିଲୁ, ପଞ୍ଚାଏ ଜଳହସ୍ତୀ ଗୋଲାକାରରେ ଦଳ ବାନ୍ଧି ପାଣିରେ ପହଁରି ପହଁରି ଯାଉଅଛନ୍ତି । ସେମାନେ ସ୍ରୋତର ଉପରକୁ ଆସୁଥାଆନ୍ତି । ପାଖ ହୋଇଯିବାରୁ ଦେଖାଗଲା ଯେ, ମୋଟ ପନ୍ଦର ଷୋହଳଟି ପଯ୍ୟନ୍ତ ବଡ଼ ଜନ୍ତୁ-। ସେମାନଙ୍କ ମଝିରେ ତିନିଗୋଟି ଛୁଆ । ସେହି ଛୁଆଙ୍କୁ ରକ୍ଷା କରିବା ପାଇଁ ସେମାନେ ଏପରି ଚାରିକଡ଼ ଘେରି ବ୍ୟୁହ କରିଥାଆନ୍ତି ।

 

ହଠାତ୍ ସେମାନଙ୍କ ମଧ୍ୟରେ ଗୋଳମାଳ ଆରମ୍ଭ ହୋଇଗଲା । କାରଣ ବୁଝିବା ପାଇଁ ମୁଁ ଏକଧ୍ୟାନରେ ଚାହିଁ ରହିଲି । ଦେଖିଲି ପାଣି ଭିତରେ ବୁଡ଼ି ବୁଡ଼ି ଗୋଟିଏ ମସ୍ତବଡ଼ କୁମ୍ଭୀର ସେ ବ୍ୟୁହ ମଝିକୁ କିପରି ଚାଲିଆସିଛି । ତିନୋଟି ଛୁଆ ମଧ୍ୟରୁ ଗୋଟିକୁ କାମୁଡ଼ି ଧରିଛି ।

 

ଆମ୍ଭେମାନେ ଆଉ ବନ୍ଧୁକ ଫୁଟାଇବୁ କଅଣ ? କୁମ୍ଭୀର ଓ ଜଳହସ୍ତୀ ଲଢ଼େଇ ଦେଖିବା ପାଇଁ ଗଛ ଉପରୁ ଓହ୍ଳାଇ ଆସିଲୁ । ନଈ କୂଳେ କୂଳେ ସେମାନଙ୍କ ସହିତ ଉପରକୁ ଚାଲିଲୁଁ ।

 

ସେଠାରେ ନଈରେ ପାଣି ଅଳ୍ପ, କୁଳ ପାଖ । ଗୋଟିଏ ଜଳହସ୍ତୀ ବୁଡ଼ିଗଲେ, ତା ଦେହରେ ଅଧେ ଅଂଶ ପାଣି ଉପରକୁ ରହିବ । କୁମ୍ଭୀରର ଗତିବିଧି ମଧ୍ୟ ଦେଖାଯାଉଥାଏ ।

 

କୁମ୍ଭୀର ଲୋଭରେ ପଡ଼ି ସିନା ଛୁଆଟିକୁ କାମୁଡ଼ି ଧଇଲା; ମାତ୍ର ଦଳ ମଝିରୁ ଖସି ଚାଲିଯିବାର ଉପାୟ ପାଉ ନ ଥାଏ । ସେ ଏପାଖ ସେପାଖ ବୁଲି ପଳାଇଯିବାକୁ ଚେଷ୍ଟା କରୁଥାଏ; ମାତ୍ର ଜଳହସ୍ତୀ ଦଳ ତାକୁ ବାଟ ଛାଡ଼ିଦେଲେ ତ ?

 

ଏହିପରି କିଛି ସମୟ ଘୁରାଘୁରି ଛକାପଞ୍ଚା ଖେଳ ପରେ ଗୋଟିଏ ଜଳହସ୍ତୀ ହାବୁଡ଼ରେ କୁମ୍ଭୀର ପଡ଼ିଗଲା । କୁମ୍ଭୀର ଧରିଥିବା ଛୁଆକୁ ପାଟିରୁ ଛାଡ଼ିଦେଇ ପ୍ରାଣବିକଳରେ ତାକୁ କାମୁଡ଼ିବାକୁ ଆଁ ମେଲା କରିଦେଲା । ଠିକ୍ ସେହି ସମୟରେ ପଛରେ ଥିବା ଆଉ ଗୋଟିଏ ଜଳହସ୍ତୀ କୁମ୍ଭୀର ଲାଞ୍ଜକୁ କାମୁଡ଼ି ଧରି ପାଟି ବନ୍ଦ କରିଦେଲା । ଆଉ କୁମ୍ଭୀର ଯାଏ କୁଆଡ଼େ ? ସେ ସେଠାରେ ବାଡ଼େଇ ପିଟି ହେଲା । ପଛକୁ ବୁଲି ପଡ଼ିବାକୁ ବହୁତ ଚେଷ୍ଟା କଲା; ମାତ୍ର ପାରିଲା ନାହିଁ ।

 

ଆଗରେ ଥିବା ଜଳହସ୍ତୀଟି ତାର ଆଗ ପାଦ ଉଠାଇ କୁମ୍ଭୀର ମୁଣ୍ତ ଉପରେ ଥୋଇଦେଲା । କେବଳ ଥୋଇଦେଲା ନାହିଁ, ଥରକୁ ଥର ପାଦ କଚି ତା ଉପରେ ନାଚିବାକୁ ଲାଗିଲା ସେତେବେଳେ ଜଳହସ୍ତୀ ଦଳ ମଧ୍ୟରେ କି ଉଲ୍ଳାସ !

 

କୁମ୍ଭୀର ବିଚାର ଜଳହସ୍ତୀ ଛୁଆର କଅଁଳ ମାଂସ ଖାଇବାକୁ ଲୋଭ କରି ଶେଷରେ ଜୀବନ ଦେଲା । ଏହି ଦୃଶ୍ୟ ଦେଖି ଆମେ ଏତେଦୂର ମୋହିତ ହୋଇଯାଇଥିଲୁ ଯେ, ଆଉ ଜଳହସ୍ତୀ ଶିକାର କରିବାକୁ ଆମର ହାତ ଉଠିଲା ନାହିଁ ।

 

(୯)

 

ପାଣି ଭିତରେ ତ କୁମ୍ଭୀର ଜଳହସ୍ତୀର ବଡ଼ ଶତ୍ରୁ; ଶୁଖିଲାରେ ବି ବାଘ ସିଂହ କମ୍ ନୁହନ୍ତି । ଗୋଟିଏ ଜନ୍ତୁ ଶିକାରରେ ପ୍ରଚୁର ଖାଦ୍ୟ; ପୁଣି ନରମ ମାଂସ । ଏଥିରେ କେଉଁ ମାଂସାଶୀ ପ୍ରାଣୀ ଲୋଭ ନକରିବ ?

 

ତେବେ ସିଂହ ପରି ଜନ୍ତୁ–ନିଜେ ପଶୁରାଜ, ସେ ବି ଜଳହସ୍ତୀ ଦଳ ଆକ୍ରମଣ କରିବାକୁ ଭୟ କରେ । ଗୋଟିଏ ଜନ୍ତୁକୁ ଏକୁଟିଆ ପାଇଲେ ସଙ୍ଗେ ସଙ୍ଗେ ତା ଉପରକୁ କୁଦି ପଡ଼େ କିମ୍ୱା ବଳ ଭିତରୁ କଳ କୌଶଳରେ ଅନ୍ୟମାନଙ୍କ ଅଜ୍ଞାତରେ ଗୋଟିଏ ଘୋଷାରି ଆଣିବାକୁ ଚେଷ୍ଟା କରେ ।

 

ଥରେ ଗୋଟିଏ ସିଂହ ଜଳହସ୍ତୀ ଶିକାର କରିବାକୁ ଯାଇ କିପରି ହଲାପଟା ହୋଇଥିଲା, ସେ ସଂପର୍କରେ ଜଣେ ପ୍ରତ୍ୟକ୍ଷଦର୍ଶୀ ସାହେବ ଲେଖିଛନ୍ତି–

 

ନଦୀ କୁଳରେ ଗୋଟିଏ ଉଚ୍ଚ ନିରାପଦ ସ୍ଥାନରେ ଆମ ତମ୍ଭୁ ପଡ଼ିଥାଏ । ଦିନଯାକ ଅରଣ୍ୟର ବହୁ ଅଞ୍ଚଳ ଘୂରିଘୂରି ଆମେ କ୍ଳାନ୍ତ ହୋଇ ରାତିରେ ଶୋଇପଡ଼ିଥାଉଁ । ବିକଟ ଗର୍ଜ୍ଜନରେ ଆମ ସମସ୍ତଙ୍କ ନିଦ ଏକସମୟରେ ଭାଙ୍ଗିଗଲା । ଭୟରେ ସମସ୍ତେ ଥରି ଉଠିଲୁ । ହାତବୋମା, ବନ୍ଧୁକ ଓ ଖୁବ୍ ଶକ୍ତିଶାଳୀ ଲମ୍ୱା ଟର୍ଚ୍ଚବତୀ ଧରି ନିଜନିଜ କୋଠରୀ ଭିତରୁ ପଦାରୁ ଚାଲିଆସିଲୁ । ତମ୍ୱୁ ବାହାରେ ଠିଆହୋଇ ଦେଖିଲୁ, ଖଣ୍ତେଦୂରରେ ଭୀଷଣ ଯୁଦ୍ଧ ଲାଗିଯାଇଛି । ଏକପକ୍ଷରେ ଗୋଟିଏ ସିଂହ ଓ ଅନ୍ୟପକ୍ଷରେ ପାଞ୍ଚ ସାତ ଗୋଟି ଜଳହସ୍ତୀ ।

 

ଆମେ ଅନୁମାନ କରିନେଲୁ, ସିଂହ ନଈକୁ ପାଣି ପିଇବା ଲାଗି ଆସିଥିଲା । ଜଳହସ୍ତୀ ଦେଖି ମାଂସ ଖାଇବାକୁ ତାର ଲୋଭ ହୋଇଛି । ସେ ଶିକାର କରିବା ଲାଗି ଗୋଟିଏ ଜଳହସ୍ତୀ ଉପରକୁ ନୀରବରେ କୁଦିପଡ଼ିଛି । ଖୁବ୍ ନିକଟରେ ଯେ ଆଉ ଚାରି ପାଞ୍ଚଟି ଜଳହସ୍ତୀ ଅଛନ୍ତି, ବୋଧହୁଏ ସିଂହ ବିଚାରା ତାହା ଜାଣି ପାରିନଥିଲା । ଶିକାରର ପିଠି ଉପରକୁ କୁଦିପଡ଼ି ଗୋଟିଏ କାମୁଡ଼ା ଦେଲା ପରେ ଆଉ ଯାଏ କୁଆଡ଼େ ?

 

ଆହାତ ଜଳହସ୍ତୀର ଗର୍ଜନରେ ପାଖରେ ଥିବା ଅନ୍ୟ ଜଳହସ୍ତୀଗୁଡ଼ିକ ଚମକି ଆସିଲେ-। ସିଂହକୁ ଦେଖି ତାକୁ ମାରିବାକୁ ଚାରିଆଡ଼େ ଘେରିଗଲେ । ପାଣି ତ ଖୁବ୍ ପାଖରେ ଥିଲା । ଆହତ ଜଳହସ୍ତୀ ଘୁରିଘୁରି ବହୁକଷ୍ଟରେ ଯାଇ ପାଣି ଭିତରେ ପଶିଗଲା । ତା ପଛେ ପଛେ ଅନ୍ୟ ସାଙ୍ଗସାଥି ଚାଲିଥାଆନ୍ତି ।

 

ସିଂହ ପିଠିରେ ବସିଥିବା ଜନ୍ତୁଟି ସଙ୍ଗେସଙ୍ଗେ ପାଣି ଭିତରେ ବୁଡ଼ିଗଲା । ତା ସହିତ ସିଂହ ମଧ୍ୟ ବୁଡ଼ିଗଲା । ମାତ୍ର ଅଳ୍ପ ସମୟ ପରେ ସିଂହ ଭାସିଉଠିଲା; ତାର କେତେକ ଦୂରରେ ଜଳହସ୍ତୀ ଦେଖାଗଲା । ଅନ୍ୟ ଜଳହସ୍ତୀଗୁଡ଼ିକ ସିଂହର ଚାରିପାଖରେ ଘେରି ରହିଥାଆନ୍ତି ।

 

ସିଂହ ଭୂଇଁ ଉପରର ଜୀବ । ପାଣିଭିତରେ ତାର କରାମତି ବା କେତେ ? ସେଠାରୁ ସେ ପଳାଇ ଆସିବାକୁ ବହୁତ ପ୍ରକାର ଚେଷ୍ଟା କରୁଥାଏ । ମାତ୍ର ଜଳହସ୍ତୀଗୁଡ଼ିକ ତାକୁ ଏଭଳି ଭାବରେ ଘେରି ରହିଥାନ୍ତି ଯେ, ସେଠାରୁ ସେ ଆସିପାରୁ ନ ଥାଏ ।

 

ଜଳହସ୍ତୀଗୁଡ଼ିକ ଚେଷ୍ଟା କରୁଥାନ୍ତି, ସିଂହକୁ କୌଣସି ମତେ ପାଣି ଭିତରେ ବୁଡ଼ାଇଦେବେ । ସିଂହ ଚେଷ୍ଟା କରୁଥାଏ ସେ ସେଠାରୁ କିପରି ଶୁଖିଲାକୁ ପଳାଇ ଆସିବ । ଶିକାର ନ ହେଲା ନାହିଁ ପଛକେ ଆଗେ ଜୀବନ ରହୁ ।

 

ବହୁ ସମୟ ଧରି ଏ ଦୃଶ୍ୟ ଆମେ ଦେଖିବାକୁ ପାଇଲୁ । ସିଂହ ଯେଉଁ ଆଡ଼କୁ ମୁହଁ କରେ, ସେ ଦେଖେ, ପର୍ବତ ଗୁମ୍ପା ପରି ଗୋଟିଏ ଅତି ବଡ଼ ପାଟି ଆଁ କରି ତା ଆଡ଼କୁ ଦଉଡ଼ି ଆସୁଛି; କିନ୍ତୁ ନିର୍ଭୟରେ ତା ପାଖକୁ ଆସିପାରୁ ନାହିଁ ।

 

କେତେକ ସମୟରେ ପରେ ସିଂହର ଟିକି ମୁଣ୍ତଟାକୁ ଗୋଟାଏ ଜଳହସ୍ତୀ ପାଟିରେ ପୁରାଇ ପାଟି ବନ୍ଦ କରିଦେଲା । ସିଂହ ତୋଟିରେ ତାର ବଡ଼ ଦାନ୍ତରୁ ଗୋଟିଏ ଗଳିଗଲା । ତଥାପି ସିଂହ ଦବି ଯାଇ ନଥାଏ । ସେ ଅନ୍ଧାରୁଆ ଭାବରେ ତା ପଞ୍ଚାରେ ଜଳହସ୍ତୀକୁ ଚାପୁଡ଼ା ମାରୁଥାଏ । ଅନ୍ୟ ଜଳହସ୍ତୀଗୁଡ଼ିକ ତା ପାଖକୁ ଆସିବାକୁ ସାହାସ କରୁ ନ ଥାନ୍ତି; କିନ୍ତୁ ସାଙ୍ଗକୁ ସାହାଯ୍ୟ କରିବାକୁ ତାଙ୍କର ପ୍ରବଳ ଇଚ୍ଛା ଥିଲାପରି ଜଣାଯାଉଥାଏ ।

 

ଜଳହସ୍ତୀଟି ଆଉ ପାଟି ବନ୍ଦ କରି ବେଶି ସମୟ ରହିପାରିଲା ନାହିଁ । ଆଁ ମେଲା କରିଦେବା ସଙ୍ଗେ ସଙ୍ଗେ ସିଂହ ଟାଣି ହୋଇ ଚାଲିଆସିଲା । ତା ପରେ ସେ ଆଉ ନିଜ ଜୀବନ ପ୍ରତି ମମତା ନରଖି ଯାହାକୁ ଆଗରେ ଦେଖିଲା, ତାକୁ କାମୁଡ଼ି ପଳାଇବାକୁ ଚେଷ୍ଟାକଲା । ସେମାନଙ୍କ ଗର୍ଜନ ଓ ପାଣି ତଳ ଉପର ହେବାର ଶବ୍ଦ କାନ ବଧିରା କରିପକାଉଥାଏ ।

 

ଶେଷରେ ସିଂହ ବହୁକଷ୍ଟରେ ପାଣିରୁ ଟିକିଏ ଶୁଖିଲାକୁ ଆସିଗଲା; ମାତ୍ର ସେତେବେଳେକୁ ସେ ଏକାବେଳକେ ହାଲିଆ ହୋଇ ପଡ଼ିଥାଏ । ଆଉ ବେଶି ବାଟ ଦଉଡ଼ି ଯାଇପାରିଲା ନାହିଁ । ଅଳ୍ପଦୁର ଯାଇ ତଳେ ପଡ଼ିଗଲା ଓ କିଛି ସମୟ ଧକେଇବାକୁ ଲାଗିଲା । ତା ପରେ ସବୁ ଶେଷ ।

 

ପରଦିନ ଆମେ ଜଳହସ୍ତୀଙ୍କର ଅବସ୍ଥା ଅନୁସନ୍ଧାନ କରିବାକୁ ବାହାରିଲୁ । ବୁଲି ଦେଖିଲୁ, ପାଣିକୂଳର କେତେକ ଦୂର ଅନ୍ତରରେ ଦୁଇଟି ଜଳହସ୍ତୀ ପଡ଼ିଛନ୍ତି । ଦୁହିଁଙ୍କ ଦେହରୁ ବହୁ ପରିମାଣର ମାଂସ ଛିଡ଼ିଛି । ଗୋଟିଏ ମରିଯାଇଛି । ଅନ୍ୟଟି ପଡ଼ି ରହି ଶୁକ୍ ଶକ୍ ହେଉଛି ।

 

କିଛି ଦୂରରେ ପାଣିରେ ଗୋଟିଏ ମଲା ଜଳହସ୍ତୀ ଭାସୁଛି । ଯେତେ ଖୋଜିଲେ ମଧ୍ୟ ଆଉ ଦୁଇଟିର ସନ୍ଧାନ ପାଇଲୁ ନାହିଁ । ହୁଏତ ସେମାନେ ଜୀବନରେ ଥିବେ; ପହଁରି ପହଁରି ବହୁ ଦୁରକୁ ଚଲିଯାଇଛନ୍ତି, ମାତ୍ର ସିଂହର କାମୁଡ଼ା ଯେପରି ଭାବରେ ପାଇଛନ୍ତି, ଆଉ ବେଶିଦିନ ଯେ ବଞ୍ଚିରହିବେ, ସେ ବିଶ୍ୱାସ ଆମର ହେଲାନାହିଁ ।

 

(୧୦)

 

ଇଂଲଣ୍ତର ଚିଡ଼ିଆଖାନା ଦେଖିବାକୁ ଦଳେ ଛୋଟ ପିଲା ଯାଇଥାନ୍ତି । ସେମାନେ ବୁଲିବୁଲି ଜଳହସ୍ତୀ ରହିଥିବା ସ୍ଥାନରେ ଆସି ପଞ୍ଚିଥିଲେ । ଚାରିପାଖରେ ଉଚ୍ଚ ପାଚେରୀ । ଭିତରେ ବଡ଼ ପୋଖରି ଓ ପୋଖରୀ ହୁଡ଼ା । ଜଳହସ୍ତୀ ତା ଭିତରେ ବନ୍ଦୀ ହୋଇ ରହିଥାଏ । ସେ କେତେବେଳେ ପୋଖରୀରେ ପଶି ପହଁରୁ ଥାଏ, କେତେବେଳେ ଶୁଖିଲାରେ ବୁଲୁଥାଏ ।

 

ଉପରେ ରହି ପିଲାଗୁଡ଼ିକ ତା କୌତୁକ ଦେଖୁଥାଆନ୍ତି । ଜଳହସ୍ତୀ ମଧ୍ୟ ବୋଧହୁଏ ମଣିଷପିଲାଙ୍କ କୌତୁକ ଦେଖିବା ପାଇଁ ଉପରକୁ ଚାହିଁଲା । ତାହାର ପାଟିର ଆକାର ଦେଖି ଗୋଟିଏ ଛୋଟ ପିଲା ଡରିଗଲା । ସେ ଟିକେ ଚମକି ଉଠିଲାକ୍ଷଣି ତା ମୁଣ୍ତରେ ଲାଲଟୋପିଟି ଖସିପଡ଼ିଲା । ତାହା ତଳେ କି ପାଣିରେ ହେଲେ ପଡ଼ିଥାନ୍ତା ! ଲକ୍ଷ୍ୟ କଲାପରି ଠିକ୍ ଯାଇ ଜଳହସ୍ତୀ ପାଟି ଭିତରେ ପଡ଼ିଗଲା । ଜଳହସ୍ତୀଟି କିଛି ଗୋଟିଏ ଭଲ ଖାଦ୍ୟଦ୍ରବ୍ୟ ବିଚାରି ପାଟି ବନ୍ଦ କରିଦେଲା ଓ ସଙ୍ଗେସଙ୍ଗେ ଟୋପିଟିକୁ ଗିଳିଦେଲା ।

 

ଏହା ଦେଖି ଅନ୍ୟ ପିଲାମାନେ ନାଚିଉଠିଲେ । ସେମାନେ ନିଜ ମୁଣ୍ତରୁ ଟୋପି ବାହାର କରି ତା ଉପରକୁ ପଳାଇଲେ ସେଥିରୁ ତିନୋଟି ତା ଉପରକୁ ପଳାଇଲେ । ସେଥିରେ ତିନୋଟି ତା ପାଟି ଭିତରେ ପଡ଼ିଲା ଓ ପେଟ ଭିତରକୁ ଚାଲିଗଲା । ବାକି ଚାରିଗୋଟି ପାଣିରେ ପଡ଼ି ଭାସୁଥାଏ-। ଜଳହସ୍ତୀଟି ବୋଧହୁଏ ସେସବୁ ଗିଳି ଦେଇଥାନ୍ତା; ମାତ୍ର,ଏହି ସମୟରେ ତାର ରକ୍ଷକ ଆସି ସେଠାରେ ପହଞ୍ଚିଗଲା । ସେ ଲମ୍ବା ଲଗି ବଢ଼ାଇ ଟୋପିଗୁଡ଼ିକ ପାଣିରୁ ଉଠାଇନେଲା । ପିଲାଙ୍କଠାରୁ ଶୁଣିଲା ଯେ, ଜଳହସ୍ତୀଟି ଚାରିଟା ଟୋପି ଗିଳିସାରିଛି ।

 

ତା ପରେ ତାକୁ ଡାକ୍ତରଖାନାକୁ ନିଆଗଲା । ତାର ଚିକିତ୍ସା କରାଗଲା । ଏଭଳି ଔଷଧ ଦିଆଗଲା, ଯେଉଁଥିରେ ଟୋପି ପଚିଯାଇ ଝାଡ଼ାରୂପେ ବାହାରିଯିବ । ପନ୍ଦରଦିନ ଯାଏ ଜଳହସ୍ତୀର ଏ ଚିକିତ୍ସା ଚାଲିଥିଲା ଓ ସେଥିରେ ଚିଡ଼ିଆଖାନାର କେତେ ଶହ ପାଉଣ୍ତ ଖର୍ଚ୍ଚ ହୋଇଥିଲା ।

Image